ଆଇପିଏଲ୍‌-୧୪: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ ରୋମାଞ୍ଚକର ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ପ୍ରତିଦ୍ୱନ୍ଦ୍ୱିତା

0

ମୁମ୍ବାଇ,୨୫/୦୪: ଚଳିତ ଆଇପିଏଲ୍‌ର ୧୯ତମ ଲିଗ୍‌ ମ୍ୟାଚ୍‌ରେ ଏକ ରୋମାଞ୍ଚକର ମୁକାବିଲା ରହିଛି । ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିଥିବା ଦୁଇ ଦଳ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗ୍‌ସ ପରସ୍ପରକୁ ଭେଟିବେ । ମୋଟ୍‌ ଉପରେ କହିବାକୁ ଗଲେ ଆଜିର ମ୍ୟାଚ୍‌ରେ ଅଧିନାୟକ ଗୁରୁ ମହେନ୍ଦ୍ର ସିଂ ଧୋନି ଓ ଶିଷ୍ୟ ବିରାଟ କୋହଲିଙ୍କ ମଧ୍ୟରେ ଲଢେଇ ହେବ ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ଇତି ମଧ୍ୟରେ ୪ଟି ମ୍ୟାଚ୍‌ ଖେଳି ସାରିଛି । ସମସ୍ତ ମ୍ୟାଚ୍‌ରେ ଦଳ ବିଜୟୀ ହୋଇଛି । ଗୁରୁବାର ଅନୁଷ୍ଠିତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୦ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ଦେବଦତ୍ତ ପାଡ଼ିକଲ ଶତକ ଅର୍ଜନ କରିଥିଲେ । କୋହଲି ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରି ଫର୍ମକୁ ଫେରିବାର ସଂକେତ ଦେଇଥିଲେ ।

ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାଜିତ ହୋଇଥିଲା । ଏହାପରେ ଦଳ ସମସ୍ତ ତ୍ରୁଟି ସୁଧାରିନେଇଛି । କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ଜିତି ସୁପରକିଙ୍ଗ୍‌ସ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ବିଶେଷ କରି ଦୁଇ ଓପନର ଫର୍ମକୁ ଫେରିବା ପରେ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । ବୋଲିଂ ବିଭାଗ ସନ୍ତୁଳିତ ରହିଥିବାରୁ ସୁପରକିଙ୍ଗ୍‌ସ ଶକ୍ତିଶାଳୀ ଦଳ ରୂପେ ଉଭା ହୋଇଛି ।

ରବିବାର ମ୍ୟାକ୍ସୱେଲ ଓ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରେ ଚ୍ୟାଲେଞ୍ଜ ଦେଖିବାକୁ ମିଳିବ । ଜାଡେଜାଙ୍କ ବିପକ୍ଷରେ ମ୍ୟାକ୍ସୱେଲ୍‌ ୧୧ଟି ଟି-ଟ୍ୱେଣ୍ଟି ଖେଳି ୫ଥର ଆଉଟ୍‌ ହୋଇଛନ୍ତି । ମ୍ୟାକ୍ସୱେଲ୍‌ ବର୍ତ୍ତମାନ ଉନ୍ନତ ଫର୍ମରେ ରହିଛନ୍ତି । ତେଣୁକରି ଆସନ୍ତା କାଲି ଜାଡେଜାଙ୍କ ବଲ୍‌କୁ ବାଉଣ୍ଡାରୀ ବାହାରକୁ ପଠାଇବାକୁ ମ୍ୟାକ୍ସୱେଲ୍‌ ପ୍ରୟାସ କରିବେ । ସୁପରକିଙ୍ଗ୍‌ସର ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍‌ ମୋଇନ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସର ଦୁଇ ବିଦେଶୀ ପେସ ବୋଲର କେନ ରିଚାର୍ଡସନ, କେଲି ଜାମିସନଙ୍କ ମଧ୍ୟରେ ଲଢେଇ ହେବା ଏକ ପ୍ରକାର ନିଶ୍ଚିତ । ଉଭୟ ବଲ୍‌କୁ ଅତିରିକ୍ତ ବାଉନ୍ସ କରାଇବାରେ ସିଦ୍ଧହସ୍ତ । ସେହିପରି ରାଇନା, ମୋଇନ ଓ ରାୟୁଡୁ ଆକ୍ରମଣାତ୍ମକ ବ୍ୟାଟିଂକୁ ଗୁରୁତ୍ୱ ଦେଉଛନ୍ତି । ତେଣୁ ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ହେବ ।

ସମ୍ଭାବ୍ୟ ଏକାଦଶ

ସୁପରକିଙ୍ଗ୍‌ସ: ଫାଫ ଡୁ ପ୍ଲେସି, ଋତୁରାଜ ଗାଏକୱାଡ୍‌, ମୋଇନ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି(ଅଧିନାୟକ), ସାମ କୁରାନ, ସର୍ଦୁଲ ଠାକୁର, ଲୁଙ୍ଗି ଏନ୍‌ଗିଡ଼ି, ଦୀପକ ଚହର ।

ରୟାଲ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି(ଅଧିନାୟକ), ଦେବଦତ୍ତ ପାଡ଼ିକଲ, ସାହାବାଜ ଅହମ୍ମଦ, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ଏବି ଡି ଭିଲର୍ସ, ୱାସିଂଟନ ସୁନ୍ଦର, କେଲି ଜାମିସନ, ହର୍ଷଲ ପଟେଲ, କେନ ରିଚାର୍ଡସନ, ୟୁଝବେନ୍ଦ୍ର ଚହଲ, ମହମ୍ମଦ ସିରାଜ ।

Leave A Reply

Your email address will not be published.

2 × three =