ଇଡ଼କୋରେ ନୂତନ ସିଏମଡିଙ୍କ ଦାୟିତ୍ୱ ଗ୍ରହଣ

0

ଭୁବନେଶ୍ଵର- ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଡଃ. କ୍ରିଷନ କୁମାର ଆଜି ଓଡିଶା ଶିଳ୍ପ ଭିତ୍ତିଭୂମି ଊନ୍ନୟନ ନିଗମ (ଇଡକୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଯୋଗଦେବାର ପ୍ରଥମ ଦିବସରେ ସେ ଇଡକୋର ବିଭିନ୍ନ କାର୍ଯ୍ୟକ୍ରମ ତଥା କାର୍ଯ୍ୟକଳାପର ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ, ସେ ସର୍ବପ୍ରଥମେ ରାଜ୍ୟ ସରକାରଙ୍କ ‘୫-ଟି’(5-T) ଆଭିମୁଖ୍ୟ ଆଧାରରେ  କାର୍ଯ୍ୟ ଯୋଜନା (ଆକ୍ସନ ପ୍ଳାନ ) ଉପରେ ଗୁରୁତ୍ଵାରୋପ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୦ ଗୋଟି ଏମ.ଏସ.ଏମ.ଇ ପାର୍କ ଏବଂ  ଇଡକୋ ଟାୱାର ପ୍ରତିଷ୍ଠା ନିମନ୍ତେ ତ୍ଵରିତ ପଦକ୍ଷେପ ନେବା ପାଇଁ  ସେ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ । ଏଥିସହ, ପଶ୍ଚିମ ଓଡିଶାରେ ବିଜୁ ଏକ୍ସପ୍ରେସ ୱେ କରିଡର ନିକଟରେ ଏମ.ଏସ.ଏମ.ଇ ପାର୍କ ଗଠନ ନିମନ୍ତେ ସେ ଆଲୋଚନା କରିଥିଲେ । ଇଡକୋରେ ପ୍ରଚଳିତ ଭୂମି ଆବଣ୍ଟନ ଏବଂ ଭୂମି ଆବଣ୍ଟନ ପରବର୍ତ୍ତୀ ସେବା ପ୍ରଦାନର ପ୍ରକ୍ରିୟାକୁ ସୂଚନା ପ୍ରଯୁକ୍ତି ବିଦ୍ୟା (IT) ମାଧ୍ୟମରେ କାର୍ଯ୍ୟକ୍ଷମ କରାଯାଇ  ଶିଳ୍ପ ଉଦ୍ୟୋଗୀମାନଙ୍କର ବିଭିନ୍ନ ଅସୁବିଧା ଗୁଡିକର ଯଥାଶୀଘ୍ର ସମାଧାନ କରିବା ନିମନ୍ତେ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଇଡକୋ ଦ୍ଵାରା ପ୍ରତିଷ୍ଠିତ ବିଭିନ୍ନ ଶିଳ୍ପ ପାର୍କ ଯଥା ଡେରାସ ଠାରେ ଥିବା ସି-ଫୁଡ ପାର୍କ, ପାରାଦୀପର ପ୍ଲାଷ୍ଟିକ ପାର୍କ, ଅନୁଗୋଳର ଆଲୁମିନିୟମ ପାର୍କ, ଭଦ୍ରକର ଟେକ୍ସଟାଇଲ୍ ପାର୍କ, ଇନଫୋଭ୍ୟାଲି ଫୁଡ ପାର୍କ ଇତ୍ୟାଦିର ଉନ୍ନତି କରଣ ଏବଂ ଏହାର ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସେ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।


         ଠିକ୍ ସେହିପରି, ଇଡକୋ ଦ୍ଵାରା ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କୁ ପ୍ରଦାନ କରାଯାଉଥିବା ବିଲ୍ଡିଂ ପ୍ଳାନ  ଅନୁମୋଦନ ପ୍ରକ୍ରିୟାକୁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ ଏହାର ଏକ ଯାଞ୍ଚ ପତ୍ର ( ଚେକ ଲିଷ୍ଟ ) ତିଆରି କରି ତ୍ଵରିତ ଭାବରେ ୩ ରୁ ୭ ଦିନ ମଧ୍ୟରେ ଆଶାୟୀ ଶିଳ୍ପଦ୍ୟୋଗୀମାନଙ୍କୁ ପ୍ରଦାନ କରିବାକୁ  ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେ ଗୋଟିଏ ଦିନର ପ୍ରଶାସନ( ୱାନ ଡେ ଗଭର୍ଣ୍ଣାନ୍ସ ) ବ୍ୟବସ୍ଥାର  ପ୍ରଚଳନ କରି ଇଡକୋରେ ଥିବା ବିଭିନ୍ନ ସମସ୍ୟା, ଅସୁବିଧା ଏବଂ ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡିକର ତତକ୍ଷଣାତ ଅନୁମୋଦନ ତଥା ସମାଧାନ କରିବାକୁ ସୂଚନା ପ୍ରଦାନ କରିଥିଲେ । ଇଡକୋ କର୍ମଚାରୀ ଏବଂ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନମାନଙ୍କର  ଥିବା ଅଭିଯୋଗଗୁଡିକ ସେମାନେ ସିଧାସଳଖ ଇ-ମେଲ୍  ଜରିଆରେ ଏହାର ଅଧ୍ୟକ୍ଷଙ୍କୁ ଜଣାଇବା ନିମନ୍ତେ ବ୍ୟବସ୍ଥା କରାଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି,  ଯାହାକୁ କି ସେ ବ୍ୟକ୍ତିଗତ ଭାବରେ ଯାଞ୍ଚ ତଥା ପର୍ଯ୍ୟ।ଲୋଚନା କରିବେ ବୋଲି ସୂଚନା ଦେଇଥିଲେ । ରାଜ୍ୟରେ ଶିଳ୍ପର ବିକାଶ ଏବଂ ନୂତନ ଶିଳ୍ପ ପ୍ରତିଷ୍ଠା ଦିଗରେ ଆବଶ୍ୟକ ଥିବା ସମସ୍ତ ଜରୁରୀ ପଦକ୍ଷେପ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ସେ ଇଡକୋର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
            ଉକ୍ତ ବୈଠକରେ ଇଡକୋର ମୁଖ୍ୟ ସାଧାରଣ ପରିଚାଳକ (ପ୍ରଶାସନ), ମୁଖ୍ୟ ସାଧାରଣ ପରିଚାଳକ (ଅର୍ଥ), ମୁଖ୍ୟ ସାଧାରଣ ପରିଚାଳକ (ଭୂମି), ମୁଖ୍ୟ ସାଧାରଣ ପରିଚାଳକ (ସିଭିଲ), ମୁଖ୍ୟ ସାଧାରଣ ପରିଚାଳକ (ଯୋଜନା ଏବଂ  ସମନ୍ଵୟ) ଏବଂ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seven − three =