ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ଦ୍ଵିତୀୟ ବାର୍ଷିକ ଉତ୍ସବ.
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ 21/08/2020 ରେ ପଞ୍ଜିକୃତ ହୋଇଥିଲା. ଅତଃ ଆସନ୍ତା 21/08/2022 ରେ ଏହାର ଦ୍ଵିତୀୟ ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ବାଣୀବିହାର ଏମ କେ ସି ଜି ପ୍ରେକ୍ଷାଳୟରେ ଏକ ଉତ୍ସବ ଅନୁଷ୍ଠିତ ହେଉଅଛି।
ଉକ୍ତଦିନ ପ୍ରାତଃ 8 ସମୟରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ “ସ୍ଵଛ ଓ ସବୁଜ ବାଣୀବିହାର ‘ ରାଲିକୁ ଓଡିଶା ସରକାରଙ୍କ ଉନ୍ନୟନ ଆୟୁକ୍ତ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ଆଇ ଏ ଏସ ଅୟମାରମ୍ଭ କରିବେ. ଏକ ସନ୍ତୁଳିତ ପରିବେଶ ପାଇଁ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍।
ଏହି ଉଦ୍ଦେଶ୍ୟ ରେ ଅପରାହ୍ନରେ ଆହୁତ ସଭାରେ ଛାତ୍ରସଂଘର ଉପଦେଷ୍ଟା ଡ଼ଃ ଅରୁଣ କୁମାର ସାହୁ,ପ୍ରସାଦ ହରିଚନ୍ଦନ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ସ୍ନାତକୋତ୍ତର ପରିଷଦର ଅଧକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, କୁଳ ସଚିବ ଅଭୟ କୁମାର ନାୟକ ପ୍ରଭୃତି ସମ୍ମାନିତ ଅତିଥି ଭାବରେ ଯୋଗ ଦେବେ. ଉକ୍ତ ସଭାରେ ପୁରାତନ ଛାତ୍ର ସଂଘ ତରଫରୁ ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ସଫଳକାମ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ।
ଏତଦବ୍ୟତୀତ, ପୁରାତନ ଛାତ୍ରସଂଘର ତ୍ରୈମାସିକ ପତ୍ରିକା ” ଉତ୍କଳାୟନ ” ର ଏକ ବିଶେଷ ସଂସ୍କରଣ ର ଉନ୍ମୋଚନ ହେବ.ଏହି ଉପଲକ୍ଷେ ପୁରାତନ ଛାତ୍ରସଂଘର ବିଗତ ବର୍ଷର କାର୍ଯ୍ୟକଳାପ ସମ୍ପର୍କରେ ଏକ ଫୋଟୋ ପ୍ରଦର୍ଶନୀ ର ଆୟୋଜନ କରାଯାଇଛି।
ଏହି ଉତ୍ସବରେ ପୁରାତନ ଛାତ୍ରସଂଘର ସଭ୍ୟ ଓ ସଭ୍ୟା ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଏହାକୁ ସାଫଲ୍ୟମଣ୍ଡିତ କରିବାପାଇଁ ସଂଘର ସଭାପତି ତଥା ଓଡିଶା ସରକାରଙ୍କର ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଅନୁରୋଧ କରିଛନ୍ତି।